ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଲୋକ ସେବା ଭବନରେ ମଙ୍ଗଳବାର ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି(ବିପିୟୁଟି) ପକ୍ଷରୁ ଏକ ଏକାଡେମିକ୍ ଅଧିବେଶନରେ ଆୟୋଜିତ ହୋଇଛି। ‘ନୂତନ ଶିକ୍ଷା ନୀତି-୨୦୨୦ରେ ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାର ରୂପାନ୍ତର’ ବିଷୟକୁ ନେଇ ଏହି ଅଧିବେଶନରେ ଚର୍ଚ୍ଚା କରାଯାଇଛି। ବିପିୟୁଟି ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ଲଗି ଏହି ଅଧିବେଶନ ଆୟୋଜନ କରିଛି। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇଛନ୍ତି।

ବିପିୟୁଟି ପାଠ୍ୟକ୍ରମର ପ୍ରବର୍ତ୍ତନ, ଅନୁସନ୍ଧାନ, ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣିବା ଏବଂ ଦକ୍ଷତା ବୃଦ୍ଧି ପାଇଁ ବ୍ୟାପକ ଢାଞ୍ଚା ସୃଷ୍ଟି ପାଇଁ ଯୋଜନା ରଖିଛି। ଇଞ୍ଜିନିୟରିଂ ଶିକ୍ଷାର ବିକାଶ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସ୍ଥାନୀୟ ଭାଷାର ପ୍ରୋତ୍ସାହନ ବିପିୟୁଟି ଦେଇଆସୁଛି। ଏହି ସବୁ ବିଷୟରେ ଚର୍ଚ୍ଚା କରିବା ପାଇଁ ଏହି ଅଧିବେଶନ ଆୟୋଜିତ ହୋଇଛି।

“ଟେକ୍ନୋଲୋଜି ଆମ ଜୀବନର ପ୍ରତ୍ୟେକ ଅଂଶ, ଆମ ସମାଜର ପ୍ରତ୍ୟେକ ଅଂଶ ଉପରେ ପ୍ରାଧାନ୍ୟ ବିସ୍ତାର କରୁଛି।  ତେଣୁ, ଏକବିଂଶ ଶତାବ୍ଦୀର ପରିବର୍ତ୍ତିତ ଆବଶ୍ୟକତା ପାଇଁ ଆମର ଟେକ୍ନୋଲୋଜି ଶିକ୍ଷାକୁ ପୁନଃ ରୂପ ଦେବା ଉପରେ ଧ୍ୟାନ ଦେବା ଆବଶ୍ୟକ। ଆମ ସଭ୍ୟତାର ଭବିଷ୍ୟତ ଆମର ଶିକ୍ଷାର ଗୁଣବତ୍ତା ଉପରେ ନିର୍ଭର କରେ। ସାମାଜିକ ଆକାଂକ୍ଷା, ବିକାଶର ପ୍ରାଥମିକତା ଏବଂ ସାମାଜିକ ମୂଲ୍ୟବୋଧ ପାଇଁ ଉଚ୍ଚଶିକ୍ଷା ଗୁରୁତ୍ଵପୂର୍ଣ୍ଣ  ଅଟେ,ଏହାର ନିୟମିତ ମୂଲ୍ୟାଙ୍କନ ହେବା ଆବଶ୍ୟକ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷା କ୍ଷେତ୍ରରେ ପ୍ରାସଙ୍ଗିକତା ଆଣିବା ପାଇଁ ଏକ ଅର୍ଥପୂର୍ଣ୍ଣ ପ୍ରୟାସ। ବିଶିଷ୍ଟ ବୈଜ୍ଞାନିକ କେ କସ୍ତୁରୀରଙ୍ଗନଙ୍କ ଦ୍ୱାରା ପ୍ରସ୍ତୁତ ଏହି ନୀତି ଆମର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ଆମେ ଏହି ଦିଗରେ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବୁ।”

ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ, ଦକ୍ଷତା ବିକାଶ ବିଭାଗ ସଚିବ ଉଷା ପାଢି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମାଲକର, ଆଇଆଇଏସସି ବେଙ୍ଗାଳୁରୁର ପୂର୍ବତନ ପ୍ରଫେସର ପ୍ରଫେସର ଏନ.ସି ଶିବପ୍ରକାଶ, ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଏସ.କେ ନାୟକ ଏବଂ ପେରି ଏଣ୍ଟରପ୍ରାଇଜର ସିଇଓ ଆର.ଆର ମହାପାତ୍ର ଯୋଗଦେଇଛନ୍ତି।

Tags: #BPUT #Academicsession #Loksevabhawan #NeweducationPolicy #TechnologyEducation #NaveenPattanaik #Bhubaneswar

 

Comment